Followers

Friday, 6 December 2019

ମୁଁ ଆଉ ତୁମେ


ମୁଁ ଯେ ଦିଗନ୍ତ ବିସ୍ତାରୀ ମରୁତ୍ଯକା,
ତୁମେ ଅଥଳ ଜଳର ଜଳକନ୍ୟା!
ଆମ ଗନ୍ତବ୍ୟ କି ମରୁଦ୍ୟାନର ମୃଗତୃଷ୍ନା?

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ,
 ତୁମେ ଅବିଶ୍ରାନ୍ତ କୋହ ଅସୁମାରି ଲୁହ!
  ଆମ କବିତା କି ମହାଭାରତର ମହାଯୁଦ୍ଧ କାଳେ
  ସୁରଚିତ ଏକ ଚକ୍ରବ୍ୟୁହ !!??

ମୁଁ ଆଦ୍ୟ ବୈଶାଖର ଶୁଷ୍କ ତନୁ!
ତୁମେ ଭରା ଭାଦ୍ରବର ଇନ୍ଦ୍ରଧନୁ!
ଆମ ସମ୍ପର୍କ କି ମିଛ ମାୟାଜାଲ
 ସପ୍ତରଥୀ ଘେରା ଅଭିମନ୍ୟୁ??!!

Saturday, 16 November 2019

ସ୍ମୃତି

ସ୍ମୃତି କେବେ କେବେ ଶୀତ ସକାଳର 
କଅଁଳ ଖରାର ତାତି
ସ୍ମୃତି କେବେ ପୁଣି ଧାରା ଶ୍ରାବଣର 
ବର୍ଷଣ ମୁଖର ରାତି

ସ୍ମୃତି କେବେ ପୁଣି ଗୋଧୂଳି ବେଳାର 
ନୀଳ ଆକାଶର ଜହ୍ନ
ସ୍ମୃତି କେବେ ପୁଣି ଘଞ୍ଚ ବନାନୀର 
କୋଇଲିର କୁହୁତାନ

ସ୍ମୃତି କେବେ କେବେ ଆତ୍ମାର ମିଳନ
ଗାୟତ୍ରୀର ବେଦଧ୍ଵନି
ସ୍ମୃତି କେବେ ପୁଣି ପ୍ରତାରଣା ପୂର୍ଣ୍ଣ
ଲୁହର ଭିଜା କାହାଣୀ

ସ୍ମୃତି କେବେ କେବେ କହ୍ନେଇର ରାଇ
କଦମ୍ବର କେଳିକୁଞ୍ଜ
ସ୍ମୃତି କେବେ ପୁଣି  ଦୂର ଆକାଶରେ
ନଇଁ ଆସୁଥିବା ସଞ୍ଜ

ସ୍ମୃତି ଆଜି ଏଠି ବୋହୂଚୋରି ଖେଳ
ମତୁଆଲା ପିଲାବେଳ
ସ୍ମୃତି କେବେ କେବେ ଅଦିନିଆ ଝଡ
ଅଭୁଲା ସଞ୍ଜ ସକାଳ 

ସ୍ମୃତି କେବେ କେବେ ଅସରନ୍ତି ଇଛା 
ଆଖିରେ ଆଖିଏ ସ୍ଵପ୍ନ
ସ୍ମୃତି କେବେ ପୁଣି ବଡ଼ ହବା ପାଇଁ 
ଛକଛକ ହୁଏ ମନ  

ସ୍ମୃତି ଆଜି ଏଠି ପୁରୁଣା ଅତୀତ 
ଆଞ୍ଜୁଳେ ଝରା ସପନ 
ଝରିଗଲା ପରେ ଅଶାନ୍ତ ହୃଦୟ 
ବ୍ୟଥାରେ ଭରା ଜୀବନ 

ଇଚ୍ଛାହୁଏ କାଳେ ମିଠା ସ୍ମୃତି ସବୁ 
ଫେରି ଆସନ୍ତା କି ଥରେ 
ସ୍ମୃତି ର ପାହାଡ ଅଫେରା କୈଶୋର 
ଜିଇଁ ପାରନ୍ତି କି ଥରେ!! 

#amigyan 
©Pragyandalai 

Click on the pic to view in a better resolution., 




Thursday, 17 October 2019

ସ୍ଵପ୍ନ ମଧୁର


ସ୍ଵପ୍ନ ମଧୁର କିଶୋରୀ ବୟସେ
ଅନେକ ବର୍ଷ ତଳେ
ଏଇ ଅଗଣା ର ଗାଲିଚା କୋଳରେ
ପାଦ ମୁଁ ଥାପିଲି ଯେବେ
ନବ ଜୀବନର ଉନ୍ମାଦନା ରେ
ବାଢି଼ଲି ଅର୍ଘ୍ୟ କେତେ
ଜାଳିଲି ପ୍ରଦୀପ ମୁଗ୍ଧ ଆବେଗେ
ପଦ୍ମ ପାଖୁଡା ସାଥେ

ଆଲୋଡିତ ଏଇ ହୃଦୟ ର କୋଳେ
ରଚିଲି କେତେ ମୁଁ ପର୍ବ
ସ୍ପନ୍ଦନ ନବ ଅନୁଭବ କଲି
ମନ ମନ୍ଦିରେ ମମ
ଉଡାଇଲି ଯହିଁ ଜୈତ୍ର ପତାକା
ମୁକ୍ତ ଆକାଶ ତଳେ
ନୃତ୍ୟର ସାଥେ ଖେଳି ବୁଲିଲା ସେ
ପବନ ଉର୍ମି ମାଳେ
ଆଶାର ଆକାଶେ ଆହ୍ଲାଦିତ ମନେ
ଆଙ୍କିଲି ସକାଳ ସୂର୍ଯ୍ୟ
ଅନ୍ଧାର କେବେ ନକରୁ ଆଚ୍ଛନ୍ନ
ଜାଳିଲି ମଶାଲ୍ ଏକ
ସେଇ ମଶାଲକୁ ବଢାଇ ଦେଲି ମୁଁ
ପ୍ରତିଟି ସ୍ପନ୍ଦନ ହାତେ
ଜାଣେନାହିଁ ମୁହିଁ ରଙ୍ଗ ତୁଳୀ ଧରି
ରଙ୍ଗ କି ଭରିବ ସତେ !!
#amigyan

©pragyandalai

Tuesday, 15 October 2019

ସମୟ


Click on the pic
to view with
better clarity 
ଭଗ୍ନସ୍ତୂପ ର ଭଗ୍ନାବଶେଷେ ଭାଗ୍ୟ ଯାଇଚି ଲୁଚି
ସ୍ଵପ୍ନ ସୁନ୍ଦର ସବୁଜିମା ଧାରେ ସତ୍ୟ ଯାଇଚି ହଜି
କଳୁଷିତ ଆଜି କୃଷ୍ଣ କାଳିମା କାବ୍ୟ ଲେଖଇ ବସି
ଯଜୁର୍ବେଦର ଯଜ୍ଞକୁଣ୍ଡେ ଯାତନା ଖେଳଇ ହୋଲି

ପୀୟୂଷ ପ୍ରତ୍ୟୁଷେ ପକ୍ଷୀ ରଚେନା ନୀଡ ରଚିବାର ସ୍ଵପ୍ନ
ଅହମିକା କୂଳେ ଭାଙ୍ଗିଯାଏ ଏଠି ଅଭିମାନିନୀର ଅବଚେତନ ଏ ମନ
ଆହତ ହୃଦୟେ ଆହୁତି ଦିଅଇ ଆଘାତ ପ୍ରାଣର ପକ୍ଷୀ
ସାବଲୀଳ ଏଇ ସାହିତ୍ୟ ସମାଜେ, ସମୟ ଏକା ହିଁ ସାକ୍ଷୀ,
ସମୟ ଏକା ହିଁ ସାକ୍ଷୀ |
©pragyandalai

Friday, 11 October 2019

ଚା

|| ମୁଁ ମୁଁତ୍ୱର ମହାଭାରତ ରେ
ହାରି ଯାଇଥିବା ହତାଶ ହିଆରେ
ବର୍ଷା ପାଗ ଆଉ ପକୁଡ଼ି ଛଣା ରେ
ସ୍ମୃତି ର ଡଙ୍ଗା ରେ..
ପଶି ଆସ ତମେ;
ବାସ୍ ଦି କପ୍ ଚାହା ରେ ||

©Pragyandalai 

Wednesday, 9 October 2019

ମୁଁ - ଏକ ପରିଭାଷା

Click on the image to view it in a better resolution 
ମୁଁ ମନ୍ତ୍ର ମୁଗ୍ଧା
ମହା ମୋକ୍ଷ
ମନୁ ସ୍ମୃତି
ମହାକାଶ

ମୁଁ ମାଟି ମୋହ
ମାୟା ମୃଗ
ମୃଗତୃଷ୍ନା
ମେଘଦୂତ

ମୁଁ ମରୁଭୂମି
ମଲାଜହ୍ନ
ମଶାଣିର
ମଲା ସ୍ଵପ୍ନ

ମୁଁ  ମୁହୁର୍ମୁହୁ
ମତାନ୍ତର
ମସ୍ତିଷ୍କ ର
ମାୟାଜାଲ

ଏଇ ମୁଁ ମୁଁତ୍ୱର
ମହାଭାରତରେ
ମୁଁ ମୂକ ସାକ୍ଷୀ
ମହା ବୃକ୍ଷ
©Pragyandalai