Followers

Monday 7 August 2023

ଯଦି କେବେ କିଛି ଭୁଲିବାକୁ ପଡ଼େ

ଯଦି କେବେ କିଛି ଭୁଲିବାକୁ ପଡ଼େ

---------------------------------------


ଜୀବନରୁ ଯଦି କେବେ ବନ୍ଧନଟା ହଜେ. 

ସ୍ମୃତିପଟୁ ଛାଇ ହଜିବାକୁ ଖୋଜେ.. 

ଇଛା ହୁଏ ଭୁଲି ଯାନ୍ତି 

ସୂର୍ଯ୍ୟ ଚନ୍ଦ୍ର..ଦିନ ରାତି 

ଦୂର ଦିଗବଳୟେ 

ଅଗଣିତ ଅସ୍ତମିତ ତାରା

ଜୀବନର ଅନ୍ଧକାରେ (ଭାବିଥିଲି ଯାକୁ) 

ଆଲୋକ ପସରା... 


ଲିଭିଯାଉ ମାନସରୁ ବେଦନା ସମୂହ 

ନଖୋଜୁ ଜୀବନ ଆଉ ମୋକ୍ଷର ମୋହ 

ଅଫେରା ମୁହୂର୍ତ୍ତ ପାଇଁ ନା କରିବି ଅପେକ୍ଷା 

ସମୟର ପଦତଳେ କେବେ ନମାଗିବି ଭିକ୍ଷା... 


ଭୁଲିବାକୁ ଦେଇଦେବି 

ଜହ୍ନର କଳଙ୍କ 

ଅମାବାସ୍ୟା ରାତ୍ରି..

ଅଳ୍ପ ଅଳ୍ପ ମୋହ

ଆଉ କରୁଣ ବିଳାପ! 


ଆହୁରି ବି ଭୁଲିପାରେ 

ଅସମାପ୍ତ ପଦ୍ୟ.. ସମୟର ଫର୍ଦ୍ଦ 

ଅଧାଲେଖା ଲେଖନୀର ଯେତେ ତକ ଶବ୍ଦ!  


କିନ୍ତୁ ଆୟୁଷର ବୟସ ପୁରିବା ପୂର୍ବରୁ .. 

ଜୀବନର ଅପରାହ୍ନ ଘୋଟିବା ଆଗରୁ ... 

ସ୍ମୃତି ଯଦି ବଞ୍ଚିଥାଏ ମନ ମସ୍ତିଷ୍କରେ.. 

ପାରନ୍ତି ମୁଁ ଯଦି.. 

ମାଗିନେନ୍ତି କିଛି ମଧୁର ମୂହୁର୍ତ୍ତ ... 

ସଜାଡନ୍ତି ଶେଷ କାବ୍ୟ ଶୀର୍ଷକ ସମ୍ମୁଖ.. 

ଲେଖନ୍ତି ମୁଁ କେତେ ଅନୁଭବ କଥା.. 

ବସନ୍ତର ଚିଠି ଆଉ କଲ୍ଲୋଳର ଗାଥା..


କିନ୍ତୁ ହାୟ.. ନାହିଁ ଆଜି ସ୍ମୃତି ଆଉ ନାହିଁ ବସନ୍ତର କାବ୍ୟ.. 

ଦର୍ପଣରେ ଦିଶେନାହିଁ.. ଆଉ ଚିହ୍ନା ଚିହ୍ନା ମୁହଁ.. 

ଲେଖନୀ ରୁ ଝରେନାହିଁ ଶବ୍ଦ.. 

ମନେ ନାହିଁ ସତେ କି ବା ଝରିଥିଲା କେବେ.. 

ଅବା ମୁଗ୍ଧ ଥିଲି ମୁଁ ଯେ ନିଜ ସୃଜନରେ.. 

ଗଢିଥିଲି ସ୍ୱପ୍ନ.. ଆଉ ସ୍ୱପ୍ନ ଅଟ୍ଟାଳିକା... 

ଜୀବନ ହିଁ ସାଜି... ଆଜି କୁଜ୍ଝଟିକା

ସବୁ ଲାଗେ ଗଳ୍ପ .. ଆଉ ମିଥ୍ଯା ପ୍ରହେଳିକା! 


💌


~pragyan


Background :

ଇପସିତାର ଗୋଟେ ଛୋଟ whatsapp ମେସେଜ ରୁ ଏଇ କବିତାର ଅୟମାରମ୍ଭ!.. ମେସେଜ୍ ଟି ଏମିତି କିଛି ଥିଲା.. 

"POV.. (ପଏଣ୍ଟ ଅଫ୍ ଭ୍ୟୁ) : ଗୋଟେ ପୁସ୍ତକର ଚରିତ୍ରଟି ଯଦି ଭୁଲିଯିବାକୁ ଆରମ୍ଭ କରେ. ତାହାଲେ.. ସେ କେମିତି ଆଉ କଣ ଭାବନା ରେ ମଗ୍ନ ଥିବ.. ଅଥବା କଣ ଭୁଲିଯିବାକୁ ଇଛା କରୁଥିବ...!! 

" If someone is losing all their memories... and you are writing their thoughts or feelings for them... what would you write as the concluding lines?"...


ସତ କହିବାକୁ ଗଲେ.. ମୋ ପାଖେ କିଛି ଉତ୍ତର ନଥିଲା.. କେବେ ଭାବିନି ଏମିତି କିଛି... ଆଉ ଭାବୁ ଭାବୁ ଏମିତି ଲାଗିଲା..ଯେମିତି ସେ ଜୀବନର ଯେତିକି ନକାରାତ୍ମକ ଜିନିଷ ଅଛି ତାକୁ ଭୁଲିବାକୁ ଚାହିଁବ..କିଛି ଅସମାପ୍ତ ଜିନିଷକୁ ବି ଭୁଲିଯିବାକୁ ଚାହିଁବ... ଆଉ ଏକ ନୂତନ କାବ୍ୟ ଲେଖିବାକୁ ଆରମ୍ଭ କରିବ.. ଯେତିକି ବି ଅନୁଭବ ର କଥା ଥିବ ତାକୁ ଧରି ରଖିବାକୁ ଚାହିଁବ...ଶେଷ ବସନ୍ତର ଚିଠିବି ଲେଖିବ.. କିନ୍ତୁ ବୋଧେ ଯେତେବେଳେ କବିତା ଶେଷ କରିବାକୁ ଚେଷ୍ଟା କରିବ.. ସେତେବେଳେ.. ଭୁଲି ଭୁଲି ଆସୁଥିବ.. ତେଣୁ ବୋଧେ ପୂର୍ଣ୍ଣ କରି ପାରିବନି.. ବୋଧେ ସବୁ କିଛି ମନେ ପଡିବନିଏ ଆଉ.. ଏମିତି ବି ହେଇପାରେ.. ସେ ଯେତିକି ନିଜେ ଲେଖିଥିଲା.. ନିଜର ସୃଜନ ସବୁ ବି ନିଜର ନ ଲାଗିପାରେ.. ସେଥିପାଇଁ ସବୁ କିଛି ତାକୁ ଗୋଟେ ଗଳ୍ପ ପରି ବି ଲାଗି ପାରେ... 🤗