Followers

Wednesday 1 April 2020

ଅଭିମାନ




ଅଭିମାନ ଯେତେ
ଅକୁହା କଥା
ଅଭିମାନ କେତେ 
ବେଦନା ବ୍ୟଥା
ଅଭିମାନ ଏଇ 
ସଂସାର ନାଆରେ
ଛନ୍ଦି ହେଇଥିବା  
ଅଡ଼ୁଆସୂତା

ଅଭିମାନ ଏଠି 
ଦୂର ପରବତ
ଅଛିଣ୍ଡା ଗଣିତ..  
ଅଭୁଲା ଅତୀତ..
ଦୂରଦିଗ୍ ବଳୟେ 
ଅସ୍ତ ସୂର୍ଯ୍ୟ ସମ 
ଭାସି ଯାଉଥିବା 
ସମୟ ସ୍ରୋତ

ଅଭିମାନ ଧାରେ
ପଥିକ ପରାସ୍ତ
ହୃଦୟ ସତେକି 
ଶୋଣିତ ସିକ୍ତ
ରଜନୀ ରଜନୀ 
ନୀରବ ରଜନୀ 
ଆର୍ଦ୍ର ନୟନେ 
ତଥାପି କାହିଁକି 
ଅପେକ୍ଷାରତ!!??
©pragyandalai

ମୋହାବିଷ୍ଟ ମନୁଷ୍ୟାତ୍ମା

ଯଜୁର୍ବେଦ ମନ୍ତ୍ର ଧ୍ୱନି.. 
ସାମବେଦ ଶ୍ଲୋକ ପଙ୍କ୍ତି
ଜାଣେନା ମୁଁ ଆବାହନ,
ଅବା କିଛି ପୂଜା ବିଧି

ସଂସାରର ସୀମାରେଖା
ନହେବସେ ଅତିକ୍ରାନ୍ତ
ନା, ପାରିବି ଜିଣି କେବେ
ଇନ୍ଦ୍ରିୟର ମତଭେଦ

କିନ୍ତୁ ମୁଁ ଯେ
ମୋହାବିଷ୍ଟ ମନୁଷ୍ୟାତ୍ମା,
ସତ୍ୟମିଥ୍ୟା କାରାଗାରେ
ମୋକ୍ଷ ପାଇଁ ବ୍ୟାକୁଳାତ୍ମା

ଯଦିଓ ମୁଁ ପରାଜିତ
ପରଦାର ଅନ୍ତରାଳେ,
ଜାଣେନାହିଁ କାହିଁକି ମୁଁ
ସିଂହଦ୍ଵାରେ ଅଶ୍ରୁ ଢ଼ାଳେ!

ସାନିଧ୍ୟର ସମ୍ମୋହନ
ଅବା ଦୂରେ ବଂଶୀସ୍ଵନ
ବିଚଳିତ ମନ ଦ୍ୱାରେ,
କିବା ଏକ ଉଦବେଳନ!
©pragyandalai