Followers

Saturday 16 November 2019

ସ୍ମୃତି

ସ୍ମୃତି କେବେ କେବେ ଶୀତ ସକାଳର 
କଅଁଳ ଖରାର ତାତି
ସ୍ମୃତି କେବେ ପୁଣି ଧାରା ଶ୍ରାବଣର 
ବର୍ଷଣ ମୁଖର ରାତି

ସ୍ମୃତି କେବେ ପୁଣି ଗୋଧୂଳି ବେଳାର 
ନୀଳ ଆକାଶର ଜହ୍ନ
ସ୍ମୃତି କେବେ ପୁଣି ଘଞ୍ଚ ବନାନୀର 
କୋଇଲିର କୁହୁତାନ

ସ୍ମୃତି କେବେ କେବେ ଆତ୍ମାର ମିଳନ
ଗାୟତ୍ରୀର ବେଦଧ୍ଵନି
ସ୍ମୃତି କେବେ ପୁଣି ପ୍ରତାରଣା ପୂର୍ଣ୍ଣ
ଲୁହର ଭିଜା କାହାଣୀ

ସ୍ମୃତି କେବେ କେବେ କହ୍ନେଇର ରାଇ
କଦମ୍ବର କେଳିକୁଞ୍ଜ
ସ୍ମୃତି କେବେ ପୁଣି  ଦୂର ଆକାଶରେ
ନଇଁ ଆସୁଥିବା ସଞ୍ଜ

ସ୍ମୃତି ଆଜି ଏଠି ବୋହୂଚୋରି ଖେଳ
ମତୁଆଲା ପିଲାବେଳ
ସ୍ମୃତି କେବେ କେବେ ଅଦିନିଆ ଝଡ
ଅଭୁଲା ସଞ୍ଜ ସକାଳ 

ସ୍ମୃତି କେବେ କେବେ ଅସରନ୍ତି ଇଛା 
ଆଖିରେ ଆଖିଏ ସ୍ଵପ୍ନ
ସ୍ମୃତି କେବେ ପୁଣି ବଡ଼ ହବା ପାଇଁ 
ଛକଛକ ହୁଏ ମନ  

ସ୍ମୃତି ଆଜି ଏଠି ପୁରୁଣା ଅତୀତ 
ଆଞ୍ଜୁଳେ ଝରା ସପନ 
ଝରିଗଲା ପରେ ଅଶାନ୍ତ ହୃଦୟ 
ବ୍ୟଥାରେ ଭରା ଜୀବନ 

ଇଚ୍ଛାହୁଏ କାଳେ ମିଠା ସ୍ମୃତି ସବୁ 
ଫେରି ଆସନ୍ତା କି ଥରେ 
ସ୍ମୃତି ର ପାହାଡ ଅଫେରା କୈଶୋର 
ଜିଇଁ ପାରନ୍ତି କି ଥରେ!! 

#amigyan 
©Pragyandalai 

Click on the pic to view in a better resolution.,