Followers

Wednesday, 13 May 2020

ଯଜ୍ଞକୁଣ୍ଡ ପ୍ରତୀକ୍ଷାରେ ପ୍ଳାବନ ମୁହୂର୍ତ୍ତ

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ
ମୁଁ  ବନ୍ଦୀ ଗୃହେ ଏକ ଅମାନିଆ ଢେଉ
ନିଶ୍ଵାସ ବି ମୋର ଆଜି କାରା ରୁଦ୍ଧ
ଆଉ ନିଜ ଗୃହେ ଆଜି ମୁଁ ଗୃହବନ୍ଦୀ!
                                                         
ମସ୍ତିଷ୍କ ଓ ମନ ମଧ୍ୟେ ଚାଲେ ଏକ ଯୁଦ୍ଧ ଅବିରତ
ମନ ଚାହେଁ ବୁଲିବାକୁ ପ୍ରସ୍ତର ପ୍ରାନ୍ତର
ଅବା ଇଚ୍ଛା ହୁଏ ଲଂଘିବାକୁ ସୁଦୂର ପର୍ବତ
ନିର୍ଜନ ସମୁଦ୍ର କୋଳେ କିଛିଟା ମୁହୂର୍ତ୍ତ
ଛୁଇଁବାକୁ ବଡ ଦାଣ୍ଡ ଧୂଳି
ଆଉ ମନ ଭରି ଦେଖିବାକୁ ଶ୍ରୀମନ୍ଦିର ନେତ!

ଏଇ କେତେ ଦିନ ଲାଗେ ଏକ ଯୁଗର ଅବଧି
ସତେକି ଜୀବନଯାତ୍ରା ପୂର୍ବବତ୍ ହେଇଯିବ ପୁଣି
ସମୟର ସ୍ରୋତ ପାଖେ ହଜିଯାଏ କେତେ କେତେ ସ୍ଵପ୍ନ
 କ୍ଲାନ୍ତ ଏଠି ମନ ଆଉ ସବୁତ ମଳିନ!
                                                                 
ପ୍ରତୀକ୍ଷା କରଇ ଏକ ପୂର୍ଣିମା ରାତ୍ରି ର
ଅନ୍ଧକାର ବୁକୁ ଚିରି ଜନ୍ମ ହେବ ଆଶା ଆଲୋକର
ତମସାର ଅବସାନେ ହେବ ଦୁଃଖ ଅସ୍ତମିତ
ପ୍ରତୀକ୍ଷାର କାରାଗାରୁ ବାୟୁ ହେବ ମୁକ୍ତ!
ନିଦ୍ରିତ କି ଜାଗ୍ରତ ମୁଁ ଦେଖେ ଅବା ସ୍ଵପ୍ନ
ଶୁଭ୍ର ଜ୍ୟୋତ୍ସ୍ନା ସମ ହେବ ସତ୍ୟର ସନ୍ଧାନ
ପ୍ରେମ ଅଗ୍ନି ପ୍ରତି ହୃଦେ ହେବ ପ୍ରଜ୍ଜ୍ଵଳନ
ସଂଘର୍ଷର ଗାଥା ହେବ ସାହିତ୍ୟ ସୃଜନ!

କରୋନା ର ଭୟ ହେଉ ହୃଦୁ ବିତାଡ଼ିତ
ପ୍ରତି କଣ୍ଠ ଗାଇ ଉଠୁ  ସ୍ଵାଗତ ସଙ୍ଗୀତ
ଆତ୍ମା ଲଭୁ ମୋକ୍ଷ ପ୍ରାପ୍ତି ଦେଖି ଶ୍ରୀମନ୍ଦିର ନେତ..
ନିଶ୍ଵାସରେ ବିଶ୍ଵାସରେ ବାଜି ଉଠୁ ଜୟ ଜଗନ୍ନାଥ

ସେବେ ଯାଏଁ ସ୍ଵପ୍ନସବୁ ବାକି ଥାଉ ହୃଦୟ ମଧ୍ୟରେ
ରଙ୍ଗ ସବୁ ବାକି ଥାଉ ବେନି ନୟନରେ 
ପଞ୍ଚାକ୍ଷରି ମନ୍ତ୍ରେ ଥାଉ ପ୍ରଜ୍ୱଳିତ
 ଯଜ୍ଞକୁଣ୍ଡ ପ୍ରତୀକ୍ଷା ରେ ପ୍ଳାବନ ମୁହୂର୍ତ୍ତ!!

©PRAGYANDALAI


Monday, 4 May 2020

ମୁଁ ମୁଗ୍ଧ ମୁଁ ସ୍ତବ୍ଧ ମୁଁ ଅଭିମନ୍ତ୍ରିତ

ମୁଁ ମୁଗ୍ଧ.. ମୁଁ ସ୍ତବ୍ଧ
ମୁଁ ଅଭିମନ୍ତ୍ରିତ
ନିର୍ବାକ ମୁଁ ପ୍ରକୃତିର
ଦେଖି ଶଙ୍ଖନାଦ!

ନିଦ୍ରିତ କି ଜାଗ୍ରତ ମୁଁ
ଚେତନାରେ ମଗ୍ନ
କଲ୍ଲୋଳିତ ଆତ୍ମା ରଚେ
ନବ ଏକ ଲଗ୍ନ!

ନୀଳାମ୍ବରୀ ପାଟ ଧାରେ
ମେଘ ଶୁଭ୍ର ବର୍ଣ୍ଣ
ସତେ କି ସେ ମନାକାଶେ
ଚୁନା ଚୁନା ସ୍ଵପ୍ନ!!! 😊😊😊

©PRAGYANDALAI

Wednesday, 1 April 2020

ଅଭିମାନ




ଅଭିମାନ ଯେତେ
ଅକୁହା କଥା
ଅଭିମାନ କେତେ 
ବେଦନା ବ୍ୟଥା
ଅଭିମାନ ଏଇ 
ସଂସାର ନାଆରେ
ଛନ୍ଦି ହେଇଥିବା  
ଅଡ଼ୁଆସୂତା

ଅଭିମାନ ଏଠି 
ଦୂର ପରବତ
ଅଛିଣ୍ଡା ଗଣିତ..  
ଅଭୁଲା ଅତୀତ..
ଦୂରଦିଗ୍ ବଳୟେ 
ଅସ୍ତ ସୂର୍ଯ୍ୟ ସମ 
ଭାସି ଯାଉଥିବା 
ସମୟ ସ୍ରୋତ

ଅଭିମାନ ଧାରେ
ପଥିକ ପରାସ୍ତ
ହୃଦୟ ସତେକି 
ଶୋଣିତ ସିକ୍ତ
ରଜନୀ ରଜନୀ 
ନୀରବ ରଜନୀ 
ଆର୍ଦ୍ର ନୟନେ 
ତଥାପି କାହିଁକି 
ଅପେକ୍ଷାରତ!!??
©pragyandalai

ମୋହାବିଷ୍ଟ ମନୁଷ୍ୟାତ୍ମା

ଯଜୁର୍ବେଦ ମନ୍ତ୍ର ଧ୍ୱନି.. 
ସାମବେଦ ଶ୍ଲୋକ ପଙ୍କ୍ତି
ଜାଣେନା ମୁଁ ଆବାହନ,
ଅବା କିଛି ପୂଜା ବିଧି

ସଂସାରର ସୀମାରେଖା
ନହେବସେ ଅତିକ୍ରାନ୍ତ
ନା, ପାରିବି ଜିଣି କେବେ
ଇନ୍ଦ୍ରିୟର ମତଭେଦ

କିନ୍ତୁ ମୁଁ ଯେ
ମୋହାବିଷ୍ଟ ମନୁଷ୍ୟାତ୍ମା,
ସତ୍ୟମିଥ୍ୟା କାରାଗାରେ
ମୋକ୍ଷ ପାଇଁ ବ୍ୟାକୁଳାତ୍ମା

ଯଦିଓ ମୁଁ ପରାଜିତ
ପରଦାର ଅନ୍ତରାଳେ,
ଜାଣେନାହିଁ କାହିଁକି ମୁଁ
ସିଂହଦ୍ଵାରେ ଅଶ୍ରୁ ଢ଼ାଳେ!

ସାନିଧ୍ୟର ସମ୍ମୋହନ
ଅବା ଦୂରେ ବଂଶୀସ୍ଵନ
ବିଚଳିତ ମନ ଦ୍ୱାରେ,
କିବା ଏକ ଉଦବେଳନ!
©pragyandalai

Monday, 9 December 2019

କିଛି କଥା କିଛି କାହାଣୀ




ଆରବ୍ୟ ରଜନୀ
ରାତ୍ରିର କାହାଣୀ
ସାତ ତାଳ ପଙ୍କ
ସିନ୍ଦୁକ ଭିତର
ବୁଢୀ ଅସୁରୁଣୀ

କେବେ ରାଜା ପୁଅ 
ସାଧବାଣୀ ଅବା
ସାତଭାଇଙ୍କର ସୁନାନାକୀ
ସାନ ଭଉଣୀ!

ସ୍ମୃତିର ସେପଟୁ
ଆଣିଲି ସାଉଁଟି
ଜେଜେମା ପେଡ଼ିରୁ
କିଛି କଥା କିଛି କାହାଣୀ

ସେଇ କାହାଣୀକୁ ବଢାଇଦେଲି ମୁଁ
ଆଗାମୀ ଭବିଷ୍ୟ ହାତେ
ଜାଣେନାହିଁ ସେ ଯେ ବୁଝେ କି
ବୁଝେନା ସତେ!!

©Pragyandalai 

Friday, 6 December 2019

ମୁଁ ଆଉ ତୁମେ


ମୁଁ ଯେ ଦିଗନ୍ତ ବିସ୍ତାରୀ ମରୁତ୍ଯକା,
ତୁମେ ଅଥଳ ଜଳର ଜଳକନ୍ୟା!
ଆମ ଗନ୍ତବ୍ୟ କି ମରୁଦ୍ୟାନର ମୃଗତୃଷ୍ନା?

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ,
 ତୁମେ ଅବିଶ୍ରାନ୍ତ କୋହ ଅସୁମାରି ଲୁହ!
  ଆମ କବିତା କି ମହାଭାରତର ମହାଯୁଦ୍ଧ କାଳେ
  ସୁରଚିତ ଏକ ଚକ୍ରବ୍ୟୁହ !!??

ମୁଁ ଆଦ୍ୟ ବୈଶାଖର ଶୁଷ୍କ ତନୁ!
ତୁମେ ଭରା ଭାଦ୍ରବର ଇନ୍ଦ୍ରଧନୁ!
ଆମ ସମ୍ପର୍କ କି ମିଛ ମାୟାଜାଲ
 ସପ୍ତରଥୀ ଘେରା ଅଭିମନ୍ୟୁ??!!

Saturday, 16 November 2019

ସ୍ମୃତି

ସ୍ମୃତି କେବେ କେବେ ଶୀତ ସକାଳର 
କଅଁଳ ଖରାର ତାତି
ସ୍ମୃତି କେବେ ପୁଣି ଧାରା ଶ୍ରାବଣର 
ବର୍ଷଣ ମୁଖର ରାତି

ସ୍ମୃତି କେବେ ପୁଣି ଗୋଧୂଳି ବେଳାର 
ନୀଳ ଆକାଶର ଜହ୍ନ
ସ୍ମୃତି କେବେ ପୁଣି ଘଞ୍ଚ ବନାନୀର 
କୋଇଲିର କୁହୁତାନ

ସ୍ମୃତି କେବେ କେବେ ଆତ୍ମାର ମିଳନ
ଗାୟତ୍ରୀର ବେଦଧ୍ଵନି
ସ୍ମୃତି କେବେ ପୁଣି ପ୍ରତାରଣା ପୂର୍ଣ୍ଣ
ଲୁହର ଭିଜା କାହାଣୀ

ସ୍ମୃତି କେବେ କେବେ କହ୍ନେଇର ରାଇ
କଦମ୍ବର କେଳିକୁଞ୍ଜ
ସ୍ମୃତି କେବେ ପୁଣି  ଦୂର ଆକାଶରେ
ନଇଁ ଆସୁଥିବା ସଞ୍ଜ

ସ୍ମୃତି ଆଜି ଏଠି ବୋହୂଚୋରି ଖେଳ
ମତୁଆଲା ପିଲାବେଳ
ସ୍ମୃତି କେବେ କେବେ ଅଦିନିଆ ଝଡ
ଅଭୁଲା ସଞ୍ଜ ସକାଳ 

ସ୍ମୃତି କେବେ କେବେ ଅସରନ୍ତି ଇଛା 
ଆଖିରେ ଆଖିଏ ସ୍ଵପ୍ନ
ସ୍ମୃତି କେବେ ପୁଣି ବଡ଼ ହବା ପାଇଁ 
ଛକଛକ ହୁଏ ମନ  

ସ୍ମୃତି ଆଜି ଏଠି ପୁରୁଣା ଅତୀତ 
ଆଞ୍ଜୁଳେ ଝରା ସପନ 
ଝରିଗଲା ପରେ ଅଶାନ୍ତ ହୃଦୟ 
ବ୍ୟଥାରେ ଭରା ଜୀବନ 

ଇଚ୍ଛାହୁଏ କାଳେ ମିଠା ସ୍ମୃତି ସବୁ 
ଫେରି ଆସନ୍ତା କି ଥରେ 
ସ୍ମୃତି ର ପାହାଡ ଅଫେରା କୈଶୋର 
ଜିଇଁ ପାରନ୍ତି କି ଥରେ!! 

#amigyan 
©Pragyandalai 

Click on the pic to view in a better resolution.,