Followers

Wednesday 13 May 2020

ଯଜ୍ଞକୁଣ୍ଡ ପ୍ରତୀକ୍ଷାରେ ପ୍ଳାବନ ମୁହୂର୍ତ୍ତ

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ
ମୁଁ  ବନ୍ଦୀ ଗୃହେ ଏକ ଅମାନିଆ ଢେଉ
ନିଶ୍ଵାସ ବି ମୋର ଆଜି କାରା ରୁଦ୍ଧ
ଆଉ ନିଜ ଗୃହେ ଆଜି ମୁଁ ଗୃହବନ୍ଦୀ!
                                                         
ମସ୍ତିଷ୍କ ଓ ମନ ମଧ୍ୟେ ଚାଲେ ଏକ ଯୁଦ୍ଧ ଅବିରତ
ମନ ଚାହେଁ ବୁଲିବାକୁ ପ୍ରସ୍ତର ପ୍ରାନ୍ତର
ଅବା ଇଚ୍ଛା ହୁଏ ଲଂଘିବାକୁ ସୁଦୂର ପର୍ବତ
ନିର୍ଜନ ସମୁଦ୍ର କୋଳେ କିଛିଟା ମୁହୂର୍ତ୍ତ
ଛୁଇଁବାକୁ ବଡ ଦାଣ୍ଡ ଧୂଳି
ଆଉ ମନ ଭରି ଦେଖିବାକୁ ଶ୍ରୀମନ୍ଦିର ନେତ!

ଏଇ କେତେ ଦିନ ଲାଗେ ଏକ ଯୁଗର ଅବଧି
ସତେକି ଜୀବନଯାତ୍ରା ପୂର୍ବବତ୍ ହେଇଯିବ ପୁଣି
ସମୟର ସ୍ରୋତ ପାଖେ ହଜିଯାଏ କେତେ କେତେ ସ୍ଵପ୍ନ
 କ୍ଲାନ୍ତ ଏଠି ମନ ଆଉ ସବୁତ ମଳିନ!
                                                                 
ପ୍ରତୀକ୍ଷା କରଇ ଏକ ପୂର୍ଣିମା ରାତ୍ରି ର
ଅନ୍ଧକାର ବୁକୁ ଚିରି ଜନ୍ମ ହେବ ଆଶା ଆଲୋକର
ତମସାର ଅବସାନେ ହେବ ଦୁଃଖ ଅସ୍ତମିତ
ପ୍ରତୀକ୍ଷାର କାରାଗାରୁ ବାୟୁ ହେବ ମୁକ୍ତ!
ନିଦ୍ରିତ କି ଜାଗ୍ରତ ମୁଁ ଦେଖେ ଅବା ସ୍ଵପ୍ନ
ଶୁଭ୍ର ଜ୍ୟୋତ୍ସ୍ନା ସମ ହେବ ସତ୍ୟର ସନ୍ଧାନ
ପ୍ରେମ ଅଗ୍ନି ପ୍ରତି ହୃଦେ ହେବ ପ୍ରଜ୍ଜ୍ଵଳନ
ସଂଘର୍ଷର ଗାଥା ହେବ ସାହିତ୍ୟ ସୃଜନ!

କରୋନା ର ଭୟ ହେଉ ହୃଦୁ ବିତାଡ଼ିତ
ପ୍ରତି କଣ୍ଠ ଗାଇ ଉଠୁ  ସ୍ଵାଗତ ସଙ୍ଗୀତ
ଆତ୍ମା ଲଭୁ ମୋକ୍ଷ ପ୍ରାପ୍ତି ଦେଖି ଶ୍ରୀମନ୍ଦିର ନେତ..
ନିଶ୍ଵାସରେ ବିଶ୍ଵାସରେ ବାଜି ଉଠୁ ଜୟ ଜଗନ୍ନାଥ

ସେବେ ଯାଏଁ ସ୍ଵପ୍ନସବୁ ବାକି ଥାଉ ହୃଦୟ ମଧ୍ୟରେ
ରଙ୍ଗ ସବୁ ବାକି ଥାଉ ବେନି ନୟନରେ 
ପଞ୍ଚାକ୍ଷରି ମନ୍ତ୍ରେ ଥାଉ ପ୍ରଜ୍ୱଳିତ
 ଯଜ୍ଞକୁଣ୍ଡ ପ୍ରତୀକ୍ଷା ରେ ପ୍ଳାବନ ମୁହୂର୍ତ୍ତ!!

©PRAGYANDALAI


1 comment:

  1. ଅତି ସୁନ୍ଦର ❤️

    ReplyDelete