Followers

Thursday, 11 December 2025

କବି ବଞ୍ଚିରହେ ସଦା କାବ୍ୟ କବିତାରେ

 

ଦିଅ ନା ବିଦାୟ ତାଙ୍କୁ ଛ' ଖଣ୍ଡ କାଠରେ.. 

ଜାଳି ଦିଅ ନାହିଁ ତାଙ୍କୁ ଚିତାର ଜୁଇରେ.. 

ଦେଖ.. ବୋଧହୁଏ ସେ ନିଦ୍ରା ଯାଇଥିବେ.. 

ଅବା ମଗ୍ନ ଥିବେ.. ନିଜ.. ସ୍ଵପ୍ନ ଜଗତରେ.. 

ପରଖି ଦେଖିବ..ହୁଏତ.. ଲେଖନୀରୁ ଝରୁଥିବ.. 

କାଳଜୟୀ ଶବ୍ଦ.. ଆଉ ତମ ପାଖେ ଥିବ କାଗଜ ଅଭାବ.. 

କାନ୍ଥ.. କ୍ୟାଲେଣ୍ଡର.. ସବୁ ଏକାକାର ଥିବ.. 

ଶେଷ ଶବ୍ଦ ସବୁ ଭାରି ଅମାନିଆ.. ଅଝଟିଆ ଭାରି.. 

ଭାରି ଭାରି ହୃଦୟରୁ.. ବୋଧେ ଲହୁ ଝରିଥିବ.. 

 

କବି କଣ ମରି ପାରେ.. ତ୍ୟାଗି ଚିନ୍ତା ଓ ଚେତନା.. 

ଆମେ ବାସ୍ ଜାଳି ପାରୁ.. ଦେହ ମନ.. ଦୁଃଖ ଓ ବେଦନା.. 

ପାଉଁଶରେ ଭସ୍ମୀଭୂତ..ସବୁକିଛି.. ଅସ୍ଥି ମଜ୍ଜା.. ଆଶୀର୍ବାଦ ହାତ.. 

ମୃତ୍ୟୁ କୋଳେ କବଳିତ...ସତ୍ୟ.. ଅପ୍ରସ୍ତୁତ! 


କବିତାର ପଂକ୍ତି.. ସମ ଜୀବନର ସ୍ରୋତ.. 

ଯେବେ ଯେବେ ଶ୍ରୋତା କର୍ଣ୍ଣେ ହେବ ଗୁଞ୍ଜରିତ.. 

ପୃଥିବୀର ଆରପଟେ.. ସେବେ ହେବ ବେଦ ମନ୍ତ୍ର ଉଚ୍ଚାରିତ..  

ମୁଗ୍ଧ ସେଇ "ବଂଶୀସ୍ଵନ" ତୋଳୁଥିବ.. ମଧୁର ସଙ୍ଗୀତ.. 


ଧୂପ ଝୁଣା ସମ.. ମହମହ ବାସ୍ନାରେ ମହୀୟାନ ଯିଏ 

ସିଏ କିବା ପାଉଁଶର ନିଆଁରେ ଜଳିଜଳି ଯାଏ..??   

ଲିଭେ ନାହିଁ ଶବ୍ଦ କେବେ ମନ ମସ୍ତିଷ୍କରେ... 

କବି ବଞ୍ଚିରହେ ସଦା କାବ୍ୟ କବିତାରେ... 


-ବଂଶୀ ଅଙ୍କଲ ଙ୍କ ଆତ୍ମା ର ସଦ୍ଗତି କାମନା କରୁଥିବା ସ୍ନେହର ମାମୁନ-

Friday, 18 July 2025

ଆସ ବଞ୍ଚିବା


 ଆସ ବଞ୍ଚିବା..


ସବୁ ଶୂନ୍ୟ ମଧ୍ୟେ.. 

ମୁହୁର୍ମୁହୁ ଅନ୍ତର୍ଦାହ ମଧ୍ୟେ..

ହୃଦୟର ତନ୍ତ୍ରୀ ତନ୍ତ୍ରୀ ଧାରେ..

ଜାଳିଦେଇ ଲେଲିହାନ ଅଗ୍ନି..

ଭୁଲିଯାଇ ଅଭିବ୍ୟକ୍ତି.. 

ରିକ୍ତ ବୁକେ ସିକ୍ତ ସମ.. 

ଶୂନ୍ୟତାର ଅନହୂତି..


ଜଳିଯାଉ..ସବୁକିଛି.. 

ରେବତୀର ସ୍ୱୀକାରୋକ୍ତି.. 

ଲୋ ନିଆଁ ଲୋ ଚୁଲି..

ଆଉ ବାକି ଯେତେ ଅନୁଭୂତି...


କିନ୍ତୁ ତୁମେ କରିଦେବ ଅଣଦେଖା.. 

ଅସ୍ୱୀକାର କରିବ ସତ୍ୟକୁ.. 

ସତ୍ୟ ସବୁଦିନ ଏମିତି.. 

ଅବାଞ୍ଛିତ.. ଅନିଚ୍ଛିତ... ତିରସ୍କୃତ.. 


ଛାଡ଼.. ତମର କି ଯାଏ.. 

ଏମିତି ହିଁ ସବୁକିଛି ସବୁଦିନ ଜଳୁଥାଏ.. 

ବାଲେଶ୍ଵର ଠାରୁ.. ଜାମ୍ମୁ କାଶ୍ମୀର ଯାଏଁ.. 

ଗାଜା.. ପାଲେଷ୍ଟାଇନ ଠାରୁ .. ୟୁକ୍ରେନ୍ ଯାଏଁ.. 


ଜାଳିଦେଇ ଗୋଟେ ପରେ ଗୋଟେ.. 

ପୃଥିବୀରୁ ପୃଷ୍ଠା.. ଶତାବ୍ଦୀରୁ ଶ୍ରେଷ୍ଠା.. 


ଆସ ବଞ୍ଚିବା 🙏

Monday, 7 August 2023

ଯଦି କେବେ କିଛି ଭୁଲିବାକୁ ପଡ଼େ

ଯଦି କେବେ କିଛି ଭୁଲିବାକୁ ପଡ଼େ

---------------------------------------


ଜୀବନରୁ ଯଦି କେବେ ବନ୍ଧନଟା ହଜେ. 

ସ୍ମୃତିପଟୁ ଛାଇ ହଜିବାକୁ ଖୋଜେ.. 

ଇଛା ହୁଏ ଭୁଲି ଯାନ୍ତି 

ସୂର୍ଯ୍ୟ ଚନ୍ଦ୍ର..ଦିନ ରାତି 

ଦୂର ଦିଗବଳୟେ 

ଅଗଣିତ ଅସ୍ତମିତ ତାରା

ଜୀବନର ଅନ୍ଧକାରେ (ଭାବିଥିଲି ଯାକୁ) 

ଆଲୋକ ପସରା... 


ଲିଭିଯାଉ ମାନସରୁ ବେଦନା ସମୂହ 

ନଖୋଜୁ ଜୀବନ ଆଉ ମୋକ୍ଷର ମୋହ 

ଅଫେରା ମୁହୂର୍ତ୍ତ ପାଇଁ ନା କରିବି ଅପେକ୍ଷା 

ସମୟର ପଦତଳେ କେବେ ନମାଗିବି ଭିକ୍ଷା... 


ଭୁଲିବାକୁ ଦେଇଦେବି 

ଜହ୍ନର କଳଙ୍କ 

ଅମାବାସ୍ୟା ରାତ୍ରି..

ଅଳ୍ପ ଅଳ୍ପ ମୋହ

ଆଉ କରୁଣ ବିଳାପ! 


ଆହୁରି ବି ଭୁଲିପାରେ 

ଅସମାପ୍ତ ପଦ୍ୟ.. ସମୟର ଫର୍ଦ୍ଦ 

ଅଧାଲେଖା ଲେଖନୀର ଯେତେ ତକ ଶବ୍ଦ!  


କିନ୍ତୁ ଆୟୁଷର ବୟସ ପୁରିବା ପୂର୍ବରୁ .. 

ଜୀବନର ଅପରାହ୍ନ ଘୋଟିବା ଆଗରୁ ... 

ସ୍ମୃତି ଯଦି ବଞ୍ଚିଥାଏ ମନ ମସ୍ତିଷ୍କରେ.. 

ପାରନ୍ତି ମୁଁ ଯଦି.. 

ମାଗିନେନ୍ତି କିଛି ମଧୁର ମୂହୁର୍ତ୍ତ ... 

ସଜାଡନ୍ତି ଶେଷ କାବ୍ୟ ଶୀର୍ଷକ ସମ୍ମୁଖ.. 

ଲେଖନ୍ତି ମୁଁ କେତେ ଅନୁଭବ କଥା.. 

ବସନ୍ତର ଚିଠି ଆଉ କଲ୍ଲୋଳର ଗାଥା..


କିନ୍ତୁ ହାୟ.. ନାହିଁ ଆଜି ସ୍ମୃତି ଆଉ ନାହିଁ ବସନ୍ତର କାବ୍ୟ.. 

ଦର୍ପଣରେ ଦିଶେନାହିଁ.. ଆଉ ଚିହ୍ନା ଚିହ୍ନା ମୁହଁ.. 

ଲେଖନୀ ରୁ ଝରେନାହିଁ ଶବ୍ଦ.. 

ମନେ ନାହିଁ ସତେ କି ବା ଝରିଥିଲା କେବେ.. 

ଅବା ମୁଗ୍ଧ ଥିଲି ମୁଁ ଯେ ନିଜ ସୃଜନରେ.. 

ଗଢିଥିଲି ସ୍ୱପ୍ନ.. ଆଉ ସ୍ୱପ୍ନ ଅଟ୍ଟାଳିକା... 

ଜୀବନ ହିଁ ସାଜି... ଆଜି କୁଜ୍ଝଟିକା

ସବୁ ଲାଗେ ଗଳ୍ପ .. ଆଉ ମିଥ୍ଯା ପ୍ରହେଳିକା! 


💌


~pragyan


Background :

ଇପସିତାର ଗୋଟେ ଛୋଟ whatsapp ମେସେଜ ରୁ ଏଇ କବିତାର ଅୟମାରମ୍ଭ!.. ମେସେଜ୍ ଟି ଏମିତି କିଛି ଥିଲା.. 

"POV.. (ପଏଣ୍ଟ ଅଫ୍ ଭ୍ୟୁ) : ଗୋଟେ ପୁସ୍ତକର ଚରିତ୍ରଟି ଯଦି ଭୁଲିଯିବାକୁ ଆରମ୍ଭ କରେ. ତାହାଲେ.. ସେ କେମିତି ଆଉ କଣ ଭାବନା ରେ ମଗ୍ନ ଥିବ.. ଅଥବା କଣ ଭୁଲିଯିବାକୁ ଇଛା କରୁଥିବ...!! 

" If someone is losing all their memories... and you are writing their thoughts or feelings for them... what would you write as the concluding lines?"...


ସତ କହିବାକୁ ଗଲେ.. ମୋ ପାଖେ କିଛି ଉତ୍ତର ନଥିଲା.. କେବେ ଭାବିନି ଏମିତି କିଛି... ଆଉ ଭାବୁ ଭାବୁ ଏମିତି ଲାଗିଲା..ଯେମିତି ସେ ଜୀବନର ଯେତିକି ନକାରାତ୍ମକ ଜିନିଷ ଅଛି ତାକୁ ଭୁଲିବାକୁ ଚାହିଁବ..କିଛି ଅସମାପ୍ତ ଜିନିଷକୁ ବି ଭୁଲିଯିବାକୁ ଚାହିଁବ... ଆଉ ଏକ ନୂତନ କାବ୍ୟ ଲେଖିବାକୁ ଆରମ୍ଭ କରିବ.. ଯେତିକି ବି ଅନୁଭବ ର କଥା ଥିବ ତାକୁ ଧରି ରଖିବାକୁ ଚାହିଁବ...ଶେଷ ବସନ୍ତର ଚିଠିବି ଲେଖିବ.. କିନ୍ତୁ ବୋଧେ ଯେତେବେଳେ କବିତା ଶେଷ କରିବାକୁ ଚେଷ୍ଟା କରିବ.. ସେତେବେଳେ.. ଭୁଲି ଭୁଲି ଆସୁଥିବ.. ତେଣୁ ବୋଧେ ପୂର୍ଣ୍ଣ କରି ପାରିବନି.. ବୋଧେ ସବୁ କିଛି ମନେ ପଡିବନିଏ ଆଉ.. ଏମିତି ବି ହେଇପାରେ.. ସେ ଯେତିକି ନିଜେ ଲେଖିଥିଲା.. ନିଜର ସୃଜନ ସବୁ ବି ନିଜର ନ ଲାଗିପାରେ.. ସେଥିପାଇଁ ସବୁ କିଛି ତାକୁ ଗୋଟେ ଗଳ୍ପ ପରି ବି ଲାଗି ପାରେ... 🤗






Saturday, 22 May 2021

ଗୋଧୂଳି | କିଟ୍ ଛକ | ୨୦୨୧


ଗୋଧୂଳିକୁ ପଚାରନ୍ତ ଯଦି..

ପୃଥିବୀର କଥା..

ବୁଝେଇ କହନ୍ତା ବୋଧେ 

ବିରହର ବ୍ୟଥା!


 

Friday, 29 January 2021

ସ୍ମୃତି | ୨୦୨୧


 ସ୍ମୃତିକୁ ଦେବିନି କେବେ ଶୀତର ଠିକଣା
ଆଉଜି ପଡ଼ିବ କାଳେ ହୋଇ ବାଟବଣା! 

ଉଷ୍ମତାର ରେଜେଇରେ କାଳେ କରିଦେବ ଘର, 
ପୂର୍ବ ପ୍ରତିଶ୍ରୁତି ଠାରୁ ଛିଡ଼ାଇବ ଡୋର! 

Wednesday, 13 May 2020

ଯଜ୍ଞକୁଣ୍ଡ ପ୍ରତୀକ୍ଷାରେ ପ୍ଳାବନ ମୁହୂର୍ତ୍ତ

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ
ମୁଁ  ବନ୍ଦୀ ଗୃହେ ଏକ ଅମାନିଆ ଢେଉ
ନିଶ୍ଵାସ ବି ମୋର ଆଜି କାରା ରୁଦ୍ଧ
ଆଉ ନିଜ ଗୃହେ ଆଜି ମୁଁ ଗୃହବନ୍ଦୀ!
                                                         
ମସ୍ତିଷ୍କ ଓ ମନ ମଧ୍ୟେ ଚାଲେ ଏକ ଯୁଦ୍ଧ ଅବିରତ
ମନ ଚାହେଁ ବୁଲିବାକୁ ପ୍ରସ୍ତର ପ୍ରାନ୍ତର
ଅବା ଇଚ୍ଛା ହୁଏ ଲଂଘିବାକୁ ସୁଦୂର ପର୍ବତ
ନିର୍ଜନ ସମୁଦ୍ର କୋଳେ କିଛିଟା ମୁହୂର୍ତ୍ତ
ଛୁଇଁବାକୁ ବଡ ଦାଣ୍ଡ ଧୂଳି
ଆଉ ମନ ଭରି ଦେଖିବାକୁ ଶ୍ରୀମନ୍ଦିର ନେତ!

ଏଇ କେତେ ଦିନ ଲାଗେ ଏକ ଯୁଗର ଅବଧି
ସତେକି ଜୀବନଯାତ୍ରା ପୂର୍ବବତ୍ ହେଇଯିବ ପୁଣି
ସମୟର ସ୍ରୋତ ପାଖେ ହଜିଯାଏ କେତେ କେତେ ସ୍ଵପ୍ନ
 କ୍ଲାନ୍ତ ଏଠି ମନ ଆଉ ସବୁତ ମଳିନ!
                                                                 
ପ୍ରତୀକ୍ଷା କରଇ ଏକ ପୂର୍ଣିମା ରାତ୍ରି ର
ଅନ୍ଧକାର ବୁକୁ ଚିରି ଜନ୍ମ ହେବ ଆଶା ଆଲୋକର
ତମସାର ଅବସାନେ ହେବ ଦୁଃଖ ଅସ୍ତମିତ
ପ୍ରତୀକ୍ଷାର କାରାଗାରୁ ବାୟୁ ହେବ ମୁକ୍ତ!
ନିଦ୍ରିତ କି ଜାଗ୍ରତ ମୁଁ ଦେଖେ ଅବା ସ୍ଵପ୍ନ
ଶୁଭ୍ର ଜ୍ୟୋତ୍ସ୍ନା ସମ ହେବ ସତ୍ୟର ସନ୍ଧାନ
ପ୍ରେମ ଅଗ୍ନି ପ୍ରତି ହୃଦେ ହେବ ପ୍ରଜ୍ଜ୍ଵଳନ
ସଂଘର୍ଷର ଗାଥା ହେବ ସାହିତ୍ୟ ସୃଜନ!

କରୋନା ର ଭୟ ହେଉ ହୃଦୁ ବିତାଡ଼ିତ
ପ୍ରତି କଣ୍ଠ ଗାଇ ଉଠୁ  ସ୍ଵାଗତ ସଙ୍ଗୀତ
ଆତ୍ମା ଲଭୁ ମୋକ୍ଷ ପ୍ରାପ୍ତି ଦେଖି ଶ୍ରୀମନ୍ଦିର ନେତ..
ନିଶ୍ଵାସରେ ବିଶ୍ଵାସରେ ବାଜି ଉଠୁ ଜୟ ଜଗନ୍ନାଥ

ସେବେ ଯାଏଁ ସ୍ଵପ୍ନସବୁ ବାକି ଥାଉ ହୃଦୟ ମଧ୍ୟରେ
ରଙ୍ଗ ସବୁ ବାକି ଥାଉ ବେନି ନୟନରେ 
ପଞ୍ଚାକ୍ଷରି ମନ୍ତ୍ରେ ଥାଉ ପ୍ରଜ୍ୱଳିତ
 ଯଜ୍ଞକୁଣ୍ଡ ପ୍ରତୀକ୍ଷା ରେ ପ୍ଳାବନ ମୁହୂର୍ତ୍ତ!!

©PRAGYANDALAI


Monday, 4 May 2020

ମୁଁ ମୁଗ୍ଧ ମୁଁ ସ୍ତବ୍ଧ ମୁଁ ଅଭିମନ୍ତ୍ରିତ

ମୁଁ ମୁଗ୍ଧ.. ମୁଁ ସ୍ତବ୍ଧ
ମୁଁ ଅଭିମନ୍ତ୍ରିତ
ନିର୍ବାକ ମୁଁ ପ୍ରକୃତିର
ଦେଖି ଶଙ୍ଖନାଦ!

ନିଦ୍ରିତ କି ଜାଗ୍ରତ ମୁଁ
ଚେତନାରେ ମଗ୍ନ
କଲ୍ଲୋଳିତ ଆତ୍ମା ରଚେ
ନବ ଏକ ଲଗ୍ନ!

ନୀଳାମ୍ବରୀ ପାଟ ଧାରେ
ମେଘ ଶୁଭ୍ର ବର୍ଣ୍ଣ
ସତେ କି ସେ ମନାକାଶେ
ଚୁନା ଚୁନା ସ୍ଵପ୍ନ!!! 😊😊😊

©PRAGYANDALAI